ଘଣ୍ଟାଏ ବର୍ଷାରେ ବେହାଲ ଭୁବନେଶ୍ୱର

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ବର୍ଷା ଜଳ ନିଷ୍କାସନ ଏବେ ରାଜଧାନୀବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବାବେଳେ ବିଏମ୍‌ସି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଭୁବନେଶ୍ୱରକୁ ୧ ନମ୍ବର କରିବା ପାଇଁ ଯେତେ ଉନ୍ନତିମୂଳକ କାମ ବା ସୌନ୍ଦର୍ଯ୍ୟକରଣ କଲେ ବି ଅସରାଏ ବର୍ଷା ଏସବୁ ଉପରେ ସତେ ଯେମିତି ପାଣି ପକାଇ ଦେଉଛି। ଫଳରେ ବାରମ୍ବାର ବିଏମ୍‌ସିକୁ ଏଥିପାଇଁ ସମାଲୋଚିତ ହେବାକୁ ପଡୁଛି। ମଙ୍ଗଳବାର କାଳବୈଶାଖୀ ବର୍ଷାରେ ପୁଣିଥରେ ସ୍ମାର୍ଟସିଟି ଭୁବନେଶ୍ବର ବେହାଲ ହୋଇପଡ଼ିିଛି। ପ୍ରାୟ ୧ ଘଣ୍ଟା ଧରି ଲଗାଣ ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷକରି ଚିନ୍ତାମଣିଶ୍ବର, ଲକ୍ଷ୍ମୀସାଗର, ଝାରପଡ଼ା ଜିଜିପି କଲୋନୀ ଭଳି ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ସେହିପରି ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଉପରକୁ ପାଣି ଜମି ରହିବାରୁ ଜାତୀୟ ରାଜପଥରେ ଯାତାୟତ ବ୍ୟାଘାତ ହୋଇଥିଲା। ଦୁଇଚକିଆ ଯାନ ଅଧାଯାଏ ବୁଡି ରହିଥିବାବେଳେ, ଏକ କାର ଇସ୍କନ ସମ୍ମୁଖରେ ଆଗକୁ ଯାଇ ନ ପାରି ଫସି ରହିଥିଲା। ସେହିପରି ଅଟୋ ଠାରୁ ଆରମ୍ଭ କରି ମୋ ବସ୍‌ ପର୍ଯ୍ୟନ୍ତ ଯାତାୟାତ କରିବାରେ ସମସ୍ୟା ଦେଖାଦେଇଥିଲା। ଯଦିଓ ରାଜଧାନୀବାସୀଙ୍କ ଲାଗି ଏହା କୌଣସି ନୂଆ ଚିତ୍ର ନୁହେଁ, ତଥାପି ଏନେଇ ବିଏମସି ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ ଅଳ୍ପ ସମୟର ବର୍ଷାରେ ବହୁ ଅଞ୍ଚଳରେ ରାସ୍ତାକଡ଼ରେ ପଙ୍କ କାଦୁଅ ଗଦା ହୋଇଯାଇଥିଲା। ଯାହାକି ସ୍ମାର୍ଟସିଟିର ବାସ୍ତବ ଚିତ୍ରକୁ ପଦାରେ ପକାଇଥିଲା।

Leave a Reply

Your email address will not be published. Required fields are marked *

Translate »